ଅଣସର ସମୟରେ ଅଣସର ତାଟି ଭିତରେ ଶ୍ରୀବିଗ୍ରହ ମାନଙ୍କର ଯେଉଁ ସେବା ହୁଏ ତାହା ଗୁପ୍ତ ସେବା।କିନ୍ତୁ ସେହି ଗୁପ୍ତ ସେବା ସମ୍ପର୍କରେ ନୀଳାଦ୍ରି ମହୋଦୟରେ ସ୍ଵତନ୍ତ୍ର ବର୍ଣ୍ଣନା ଅଛି।ଅଣସର ବିଧି ସମ୍ପର୍କରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ବ୍ରହ୍ମା କହିଛନ୍ତି ହେ ରାଜା,ବିଶ୍ଵାବସୁ ଏବଂ ବିଦ୍ୟାପତି ବଂଶର ସେବକ ମାନେ ଦାରୁ ବ୍ରହ୍ମଙ୍କ ଅଙ୍ଗରୁ ଧୀରେ ଧୀରେ ୬ ଦିନ ପର୍ଯ୍ୟନ୍ତ ଲେପ ଛଡାଇବେ।ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶି ତେଲ ମର୍ଦନ କରିବେ।ଅଷ୍ଟମ ଦିନ ଶ୍ରୀଅଙ୍ଗରେ ସୂକ୍ଷ୍ମ ପଟ ବସ୍ତ୍ର ବାନ୍ଧି ତା ପରେ ଝୁଣା ଚୂର୍ଣ୍ଣ କରି ସେଥିରେ ସୁବାସିତ ରାଶି ତେଲ ମିଶାଇ ଠାକୁରଙ୍କର ମୂଳ ଶରୀରରେ ମଜ୍ଜା କଳ୍ପନା କରି ମର୍ଦନ କରିବେ।ହେ ରାଜେନ୍ଦ୍ର ନବମ ଦିନ ଶ୍ରୀଅଙ୍ଗରେ ଉକ୍ତ ଲେପକୁ ସୂକ୍ଷ୍ମ ପତଳା ଓଦା କନାରେ ଆଚ୍ଛାଦିତ କରି ରଖିବେ।
ଏକାଠି ମିଶାଇ ପେଶା ହୋଇଥିବା ଚନ୍ଦନ, କସ୍ତୁରୀ, କୁଂକୁମ୍,କର୍ପୁର ଏବଂ ଚନ୍ଦନ ସର କୁ ନେତ୍ରପଟରେ ଲେପ ଦେବେ।

ଦ୍ଵାଦଶୀ ଦିନ ସୁକ୍ଳବସ୍ତ୍ର ଶ୍ରୀଅଙ୍ଗରେ ଗୁଡ଼ାଇ ପୁନର୍ବାର ଭଲଭାବେ ଚନ୍ଦନ ଲେପ ଦେବାବେଳେ ଶ୍ରୀଅଙ୍ଗରେ ଚର୍ମ କଳ୍ପନା କରିବେ।ଏହାପରେ ତ୍ରୟୋଦଶୀ ଦିନ ଦକ୍ଷ ଚିତ୍ରକର ଠାକୁରଙ୍କର ଶ୍ରୀଅଙ୍ଗକୁ ନାନା ବର୍ଣ୍ଣରେ ରଞ୍ଜିତ କରି ସେଥିରେ ଲୋମ କଳ୍ପନା କରିବେ।
ଛଅ ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଶ୍ରୀଅଙ୍ଗ ରୁ ଲେପ ଛଡ଼ାଇ ସପ୍ତମ ଦିନ ଫୁଲୁରି ତେଲ ଲଗାଇ ହେବାର ବିଧାନ ନୀଳାଦ୍ରି ମହୋଦୟରେ ଥିବାବେଳେ ଏବେ ଚାରି ଦିନ ମଧ୍ୟରେ ଲେପ ଛାଡାଯାଇ ପଞ୍ଚମ ଦିନ ଫୁଲୁରି ଲାଗି କରାଯାଉଛି।
ଏ ସମ୍ପର୍କରେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି ସ୍ନାନ ପୂର୍ଣ୍ଣିମାର ପର ଦିନରୁ ଠାକୁର ମାନେ ଅସୁସ୍ଥ ହେବାରୁ ସେହି ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ପ୍ରତିପଦ ଠାରୁ ଅଣସର ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ ଆଦି ବାଜେ ନାହିଁ କି ଶଙ୍ଖ ପିଢ଼ା ଥାଳି ଆଦି ବ୍ୟବହାର କରାଯାଏ ନାହିଁ।ଏବଂ ଦଇତା ପତି ସେବକ ମାନେ ଗୁପ୍ତନିତି ଏକ ବସ୍ତ୍ର ହୋଇ ସମ୍ପାଦନା କରନ୍ତି।