ରଜ କୁଇନ ଜଜ୍ ଙ୍କର ଧଜିଆ ଉଡ଼େଇଲେ ସୁଲଗ୍ନା , ଏମାନେ ଜଜ ହେବାକୁ ଯୋଗ୍ୟ ତ ?

ଯଦି ଆପଣ ସୋସିଆଲ ମିଡ଼ିଆ ରେ ଅଛନ୍ତି ତେବେ ତ ରଜ କୁଇନ କିମ୍ବା ରଜ ସୁନ୍ଦରୀ ର ଭାଇରଲ ଭିଡିଓ ଗୁଡାକ ନିହାତି ଦେଖୁଥିବେ I ଅନେକ ସ୍ବପ୍ନ ନେଇ ଝିଅ ଟିଏ ଯେବେ ଅଡିସନ ରେ ଯୋଗ ଦିଏ ଯଦି ସାଧାରଣ ପ୍ରଶ୍ନ ର ଉତ୍ତର ଆସେନି ଓଡ଼ିଆ ଝିଅ ମାନଙ୍କୁ ଯେଉଁଭଳି ଭାବରେ ବେଈଜତ କରନ୍ତି ଆମ ଅଡିସନ ଜଜ ମାନେ ତାହା ଏବେ ସମାଲୋଚନା ହେବାରେ ଲାଗିଛି I ରଜ କ୍ୱିନ୍ ଜଜ୍ ମାନଙ୍କୁ ନେଇ ଏବେ ଏଇ ଚର୍ଚାରେ ଶେଷରେ ସୁଲଗ୍ନା ମଧ୍ୟ ମୁଁହ ଖୋଲିଛନ୍ତି ଭଲକି ଦି ତିନି ପଦ ବି ଶୁଣେଇ ଦେଇଛନ୍ତି ଯାହା ଏବେ ଭାଇରଲ ହେବାରେ ଲାଗିଛି I ଆସନ୍ତୁ ଦେଖିବା କଣ ଲେଖିଛନ୍ତି ସୁଲଗ୍ନା I

 

ରଜ କ୍ୱିନ, ରଜ ସୁନ୍ଦରୀ ଏଗୁଡା କେବେ ଟିଭିରେ ଦେଖିନି ମୁଁ | ହେଲେ ଆଜିକାଲି ଫେସବୁକରେ ସେଇ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କର ବହୁତ ଟ୍ରୋଲ୍ ଭିଡିଓ ଦେଖୁଚି | ସବୁ ସେଇ ଝିଅଙ୍କ କଥା କହୁଛନ୍ତି ହେଲେ ମୁଁ ଆଜି ଟିକେ ସେ ବେହିଆ ଅଭଦ୍ର ବିଚାରକ ମାନଙ୍କ କଥା କହିବି | ସେ ଝିଅ ଗୁଡାକ ତ ମୂର୍ଖ | ପାଠଶାଠ ପଢି ବି ଗଧିଙ୍କ ଭଳି ଦୁଇ କେ ଦଶ କହି ନିଜ ଘର, ଗାଁ, ସ୍କୁଲ, କଲେଜ, ଜିଲ୍ଲାର ନାଁ ତଳେ ପକଉଛନ୍ତି | ହେଲେ ସେ ଅସଭ୍ୟ ଜଜ୍ ଗୁଡ଼ାଙ୍କର ଏତେ ଫୁଟାଣି କୋଉ କଥା ପାଇଁ?

ସେ ଝିଅମାନଙ୍କୁ ଏତେ ଅପମାନ ଏତେ ବେଜିତ କରିବାର ଅଧିକାର ସେ ଅଶିଷ୍ଟ ଜଜ୍ ମାନଙ୍କୁ ଦେଇଛି କିଏ? ଏମିତି ଆଟିଚିଉଡ ଦେଖେଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି | ଆଉ ଗୋଟେ ଦେଖିଲି ଯଦି କୋଉ ପ୍ରତିଯୋଗୀ ପ୍ରଶ୍ନର ଠିକ ଉତ୍ତର ଦେଇଦେଲା ତାହେଲେ ଜଜ୍ ମାନଙ୍କ ମୁହଁ ଶୁଖିଯାଉଛି | ସେଇ ପ୍ରତିଯୋଗୀକୁ ସେମାନେ ପ୍ରଶ୍ନ ପଚାରି ଚାଲୁଛନ୍ତି ଯେପର୍ଯ୍ୟନ୍ତ ସେ ଭୁଲ ଉତ୍ତର ନ ଦଉଚି ଆଉ ତା’ପରେ ସେମାନେ ୟାକୁ ବି ଟିକେ ବେଜିତ କରିଦଉଛନ୍ତି | ସତେ ଯେମିତି ଏମାନଙ୍କୁ ବିଚାରକ ହେବାର ପଇସା ନୁହେଁ ବରଂ ପ୍ରତିଯୋଗୀଙ୍କୁ ଅପମାନ କରିବା ପାଇଁ ପାରିଶ୍ରମିକ ମିଳୁଛି | ଆଉ ଗୋଟେ ମଜା ଜିନିଷ ଦେଖିଲି ଭିଡିଓରେ | ଝିଅଟିଏ ଆସିଥିଲା ପ୍ରତିଯୋଗୀ ଭାବରେ | କହିଲା ବାଙ୍ଗାଲୋରରେ ଆଇଟି ସେକ୍ଟରରେ ଚାକିରୀ କରେ | ଏବେ ଲକଡାଉନ ପାଇଁ ଘରୁ କାମ କରୁଛି | ଏଣୁ ଏଇ ପ୍ରତିଯୋଗିତାରେ ଭାଗ ନବାକୁ ଆସିଛି | ସେତେବେଳେ ଦେଖିଥାନ୍ତେ ସେ ଓଟମୁହାଁ ଜଜ୍ ମାନଙ୍କ ମୁହଁ | ସେଇ ଝିଅକୁ ଆଉ ଡରିକି କିଛି ପ୍ରଶ୍ନ ପଚରା ହେଲାନି |

ବୋଧେ ଭାବିଥିବେ ଯଦି ସେ ଓଲଟା ଆମକୁ ପଚାରିଦିଏ ଓଡ଼ିଶାର ଅର୍ଥମନ୍ତ୍ରୀ କିଏ ବା ଓଡିଶାରେ କେତୋଟି ଚଉଷଠି ଯୋଗିନୀ ମନ୍ଦିର ଅଛି ତାହେଲେ ତ ଆମ ଧୋତି ଏଇଠି ଖସିଯିବ | ପୁଣି ସେଇ ଝିଅ ସାଙ୍ଗରେ ଓଡ଼ିଆ ହିନ୍ଦୀ ଇଂଗଲିଶ ମିଶା ଖେଚୁଡ଼ି ଭାଷାରେ ବି କଥାବାର୍ତ୍ତା କରାହେଲାନି | ହୁଏତ ଭାବିଥିବେ ଝିଅଟି ଯଦି ନନଷ୍ଟପ୍ ଇଂଲିଶ ଚୋବାଏ ତାହେଲେ ଆମେ ନିଲଠା ଦଳ ଏଠୁ ଦୋୖଡିକି ଖସିଯିବାକୁ ବାଟ ପାଇବୁ ତ? ଗୋଟିଏ ବାକ୍ୟ ଶୁଦ୍ଧ ଇଂରାଜୀରେ କହିବାକୁ କହିଲେ ଏମାନଙ୍କ ପ୍ୟାଣ୍ଟ ଓଦା ହେଇଯିବ ଟି! ସେଇ ବେହିଆ ଜଜ୍ ମାନଙ୍କ ଭିତରୁ ଜଣକୁ ଫ୍ଲାଇଟରେ ଦେଖିଥିଲି ବମ୍ବେରୁ ଆସିଲା ବେଳେ | ସେ ଜଜ୍ ବମ୍ବେରୁ ଚଢି ଜଣେ ସମ୍ବଲପୁରୀ ଶାଢ଼ୀ ଓ ଶଙ୍ଖା ପିନ୍ଧି ମୁଣ୍ଡରେ ଓଢଣା ଦେଇଥିବା ବୟସ୍କା ଓଡ଼ିଆ ସହଯାତ୍ରୀଙ୍କୁ କହୁଥିଲେ- “ଏକ୍ସକୟୁଜ ମି, ୟେ ମେରା ସିଟ ହେ |” ସେଇ ଓଡ଼ିଆ ମାଁ ଜଣକ କୋଉ ଭାଷାରେ ତାଙ୍କୁ ଉତ୍ତର ଦେବେ ଜାଣିନପାରି ଥତମତ ହେଇଯାଇଥିଲେ | ସେଇ ଖେଚୁଡ଼ି ଭାଷାର ପ୍ରଚାରକ ହେଲେ ଏଇ ମହାନ ଜଜ୍ ମାନେ | ଯିଏ ନିଜ ଭାଷାକୁ ସମ୍ମାନ ଦେଇନି ସେ ନିଜ ରାଜ୍ୟର ଝିଅଙ୍କୁ କି ସମ୍ନାନ ଦେବ | ସେଇ ଝିଅମାନେ ତ ମୂର୍ଖଙ୍କ ଭଳି ଉତ୍ତର ଦେଉଛନ୍ତି | କିଛି ବି କହି ତାଙ୍କ ମୂର୍ଖତାର ଔଚିତ୍ୟ ସିଦ୍ଧ କରିହେବ ନାହିଁ | ତେବେ ସେଇ ଝିଅଙ୍କୁ ଏଇ ଜଜ୍ ମାନେ ଟିଭି ପରଦାରେ ଦଶପଦ କଥା ଶୁଣେଇ ତାଙ୍କୁ ଅପମାନିତ କରି ନିଜର କେଉଁ ପାଣ୍ଡିତ୍ୟର ପରିଚୟ ଦେଉଛନ୍ତି ସେଇଟା ବୋଧେ ସେମାନେ ନିଜେ ହିଁ କହି ପାରିବେ | ମୁଖ୍ୟତଃ ଏଇ କଲେଜ ପଢୁଆ ଝିଅମାନେ ଗ୍ରାମାଞ୍ଚଳରୁ ତଥା ଛୋଟ ଛୋଟ ସହରରୁ ଆସିଥାନ୍ତି | ଏଣୁ ମୁଁ ଭାବେ ତାଙ୍କର ଏଇ ଅପମାନଜନକ ଭିଡିଓ ଗୁଡା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ସେମାନେ ମୁଣ୍ଡ ଉଠେଇ ଚାଲିପାରୁଥିବେ ତ? କିଏ ହୁଏତ କହିପାରେ ସେମାନେ ତାଙ୍କ ମୂର୍ଖାମୀର ମୂଲ୍ୟ ପରିଶୋଧ କରୁଛନ୍ତି | ତେବେ ଏଠି ପ୍ରଶ୍ନ ହେଲା ସେଇ ପ୍ରତଯୋଗୀ ମାନଙ୍କୁ ଏଭଳି ଅପମାନ ଦେଉଥିବା ଏ ଅଶିଷ୍ଟ ଅସଭ୍ୟ ସମ୍ବେଦନହୀନ ଭୁଷପଣ୍ଡିତ ଜଜ୍ ମାନେ ନିଜ ମୂର୍ଖାମୀର ମୂଲ୍ୟ କେବେ ପରିଶୋଧ କରିବେ?

#ସୁଲଗ୍ନାମହାନ୍ତି

Leave a Comment