ହେମାମାଳିନୀଙ୍କ ଗାଲକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ । ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ପରେ ସମାଲୋଚନାର ଶିକାର ହୋଇଛନ୍ତି ମନ୍ତ୍ରୀ । ସୁଚନା ମୁତାବକ ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଏହି ବିବାଦୀୟ ବୟାନ ଦେଇଛନ୍ତି । ମନ୍ତ୍ରୀ ଜଲଗାଓଁ ଜିଲ୍ଲାର ରାସ୍ତାକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲକୁ ତୁଳନା କରିବା ପରେ ବିବାଦ ଦେଖାଦେଇଛି। ଆଉ ଏହା ପରେ ରାଜ୍ୟ ମହିଳା ଆୟୋଗ ମନ୍ତ୍ରୀଙ୍କୁ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ କହିଛନ୍ତି। ପାଟିଲଙ୍କ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ବୋଧବାଡ଼ ପଞ୍ଚାୟତ ନିର୍ବାଚନ ସମୟରେ ଏକ ବୈଠକକୁ ସମ୍ବୋଧିତ କରିବାବେଳେ ମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ଅଭିଭାଷଣରେ ପାଟିଲ ବିରୋଧୀଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ସହ ସେଠାରେ ନିର୍ମାଣ ହୋଇଥିବା ରାସ୍ତା ଦେଖିବା ପାଇଁ କହିଥିଲେ। ଅନେକ ଦିନ ଧରି ଜଲଗାଓଁ ଆସନରୁ ବିଧାୟକ ଥିବା ତଥା ପୂର୍ବତନ ବିଜେପି ନେତା ଏକନାଥ ଖାଡସେଙ୍କ ଉପରେ ଟାର୍ଗେଟ କରି ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ପାଟିଲ କହିଛନ୍ତି, ‘ଯେଉଁମାନେ ୩୦ ବର୍ଷ ଧରି ବିଧାୟକ ଥିଲେ, ସେମାନେ ମୋର ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସି ରାସ୍ତା ଦେଖିବା ଉଚିତ୍ । ଯଦି ରାସ୍ତା ହେମା ମାଳିନୀଙ୍କ ଗାଲ ପରି ହୋଇନଥିବ, ତେବେ ମୁଁ ଇସ୍ତଫା ଦେବି’। ଅନ୍ୟପଟେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୁପାଲି ଚାକନକର ମନ୍ତ୍ରୀ ପାଟିଲ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଭଳି ବିବଦୀୟ ବୟାନ ଦେବାରେ ସାରା ଭାରତ ବର୍ଷରେ ଶିବସେନାର ନେତା ମାନେ ସବୁଠାରୁ ଆଗରେ । ତେବେ ଦେଖିବାକୁ ବାକି ରହିଲା କେବେ ମନ୍ତ୍ରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ।