ନାକରେ କାନ୍ଦୁଛି ତାଲିବାନ୍‌

କାବୁଲ: ଅନ୍ୟ ପାଇଁ ଗାତ ଖୋଳି ସେ ଗାତରେ ପଡିଛି ତାଲିବାନ୍ । ଆର୍ଥିକ ସଂଙ୍କଟରେ ଚାଲିଥିବା ତାଲିବାନ ସରକାରଙ୍କୁ ଲାଗିଛି ବଡ ଝଟକା । ବାଉଳା ହୋଇ ଭୁଲ କରିବସିଛି ତାଲିବାନ । ଆଉ ତାଲିବାନର ଏହି ଗୋଟିଏ ପଦକ୍ଷେପ ପାଇଁ ଏବେ ସେମାନେ ନାକରେ କାନ୍ଦୁଛନ୍ତି । ମିଳିଥିବା ସୂଚନା ମୁତାବକ ତାଲିବାନ ଭୁଲରେ ତାଜିକିସ୍ତାନରେ ଥିବା ସେମାନଙ୍କ ଦୂତାବାସର ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା, କିନ୍ତୁ ବର୍ତ୍ତମାନ ତାଜିକିସ୍ତାନ ଏହି ଟଙ୍କା ଫେରସ୍ତ କରିବାକୁ ମନା କରୁଛି । ତାଜିକିସ୍ତାନ ତାଲିବାନର ଜଣେ ଦୃଢ ବିରୋଧୀ ହୋଇଥିବାବେଳେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ଭୁଲରେ ତାଜିକିସ୍ତାନକୁ ପ୍ରାୟ ୬ କୋଟି ଟଙ୍କାରୁ ଅଧିକ ଦେଇଛି । ଏହି ଟଙ୍କା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କ ସରକାର ଦ୍ୱାରା ହସ୍ତାନ୍ତର କରିବାର ଥିଲା । ଏହି ଅର୍ଥ ତାଜିକିସ୍ତାନର ଶରଣାର୍ଥୀ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟକୁ ଆର୍ôଥକ ସହାୟତା ଦେବା ପାଇଁ ବ୍ୟବହାର କରାଯାଇଥାନ୍ତା । ତେବେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ କବଜା କଲା ଏବଂ ଘାନି ଦେଶ ଛାଡି ପଳାଇଲେ, ସେତେବେଳେ ଏହି ନିଷ୍ପତ୍ତି ଝୁଲି ରହିଥିଲା । ଅବଶ୍ୟ ସେପ୍ଟେମ୍ବରରେ ଏହି ଟଙ୍କା ପଠାଯାଇଥିଲା । ତେବେ ନଭେମ୍ବର ସୁଦ୍ଧା ଆଫଗାନିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ତାଲିବାନ ତାଜିକିସ୍ତାନ ସରକାରଙ୍କ ସହ ଯୋଗାଯୋଗ କରି ପଠାଯାଇଥିବା ଟଙ୍କା ଫେରସ୍ତ କରିବାକୁ କହିଛି, କିନ୍ତୁ ତାଜିକିସ୍ତାନ କତ୍ତୃପକ୍ଷ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ତାଜିକିସ୍ତାନ କହିଛି ଯେ ଯଦିଓ ବିଦ୍ୟାଳୟ ନିର୍ମାଣ ହୋଇନାହିଁ, କିନ୍ତୁ ଚାରିମାସ ଧରି ଶିକ୍ଷକ ଏବଂ ଦୂତାବାସର କର୍ମଚାରୀମାନେ ଏହି ପାଣ୍ଠିରୁ ସେମାନଙ୍କ ଦରମା ନେଉଛନ୍ତି । ସମସ୍ତ ଅର୍ଥ ଦୂତାବାସ ଏବଂ ଆଫଗାନିସ୍ତାନର ନାଗରିକଙ୍କ ଆବଶ୍ୟକତା ପାଇଁ ଖର୍ଚ୍ଚ ହେଉଛି । ତାଜିକିସ୍ତାନ ସରକାର ଆନୁଷ୍ଠାନିକ ଭାବେ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରୁଥିବାରୁ ବର୍ତ୍ତର୍ମାନ ଟଙ୍କା ଫେରସ୍ତ କରିବା ପ୍ରାୟ ଅସମ୍ଭବ ବୋଲି କୁହାଯାଉଛି । ଏବେ ତାଲିବାନ ପାଖରେ କୈାଣସି ବି ବାଟ ନାହିଁ ଯାହା କି ଟଙ୍କା ଫେରସ୍ତ ପାଇପାରିବା । ଏବେ ନାକରେ କାନ୍ଦୁଛି ଆତଙ୍କବାଦୀ ସଂଗଠନ ତାଲିବାନ ।

Leave a Comment