ସ୍ୱାମିଠୁ ସ୍ତ୍ରୀକୁ ଛଡାଇନେଲା ବିଜେଡି

ଭୁବନେଶ୍ୱର – ରାଜନୈତିକ ଗୋଟିଚାଳନାରେ ସ୍ୱାମୀ ସ୍ତ୍ରୀ ମଧ୍ୟ ଅଲଗା ଭାବରେ ନିଜ ଫାଇଦା ଆଶାରେ ନିଜର ରାଜନୈତିକ ଫାଇଦା ହାସଲ କରୁଛନ୍ତି । ସ୍ୱାମୀ ବିଜେପିରେ ଆଉ ପତ୍ନୀ ବିଜେଡିରେ । ଆଜି ଓଲିଉଡ଼ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ପତ୍ନୀ ତଥା ଗାୟିକା, ସମ୍ବାଦ ପାଠିକା କୃଷ୍ନାପ୍ରିୟା ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ବିଜେପି ଦଳରେ ରହି ଦଳୀୟ ସଂଗଠନ ପାଇଁ ସମସ୍ତ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ବିଜେଡିର ଗୋଟି ଚାଳନା ସ୍ତ୍ରୀକୁ ସ୍ୱାମୀ ଠାରୁ ଅଲଗା କରିବାକୁ ନେଇ ସାଧାରଣରେ ବିଭିନ୍ନ ସମାଲୋଚନା ଶିକାର ହୋଇଛନ୍ତି ଏହି ଦମ୍ପତି । ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି କୃଷ୍ନାପ୍ରିୟା । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କର ନେତୃତ୍ୱରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ବିଜେଡିରେ ସାମିଲ ହୋଇଛନ୍ତି । କ୍ରିଷ୍ଣା ମିଶ୍ରଙ୍କ ସହ ଉତ୍ତର ଭୁବନେଶ୍ୱରର ବିଜେପିର ବହୁ ଆଗଧାଡ଼ିର ମହିଳାନେତ୍ରୀଙ୍କ ସହିତ ୧୫୦ରୁ ଉର୍ଧ୍ୱ ମହିଳା କର୍ମୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେବା ସହିତ ତୃଣମୂଳ ସ୍ତରରେ ଦଳକୁ ଆହୁରି ସୁଦୃଢ କରିବା ପାଇଁ ଶପଥ ନେଇଥିଲେ । ସୂଚନା ଥାଉ କି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ମନ୍ମଥ ଓ କ୍ରିଷ୍ଣା ବିଜେପିରେ ମିଶିଥିଲେ । ମନ୍ମଥ କୁଆଡୁ ଆଠଗଡ ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଥିଲା । ମନ୍ମଥଙ୍କ ସହ ବିଶ୍ୱ ସୁନ୍ଦର ମିଶ୍ର, ତାଙ୍କ ଭାଇ ବିଭୂତି ଭୂଷଣ ମିଶ୍ର, ବ୍ରଜେନ୍ଦ୍ର ରାୟ, ହର ପ୍ରସାଦ ମିଶ୍ର, ରାମ ନାରାୟଣ ମହାନ୍ତି, ବିକ୍ରମ ଦାଶ ମଧ୍ୟ ବିଜେପି ଟିକେଟ୍ ଦୈାଡରେ ଥିଲେ । କିନ୍ତୁ ଶେଷରେ ବ୍ରଜେନ୍ଦ୍ର ରାୟଙ୍କୁ ବିଜେପି ଟିକେଟ ମିଳିଥିଲା । ଏବେ ଦେଖିବାକୁ ବାକି ରହିଲା ରାଜନୈତିକ କ୍ୟାରିୟର ପାଇଁ ନିଜ ପରିବାରରେ ଫାଟ ହେଉଛି ନା ଫାଇଦା ପାଇଁ ଉଭୟ ମିଶି ନୁଆ ଗେମ ପ୍ଲାନ କରୁଛନ୍ତି ।

Leave a Comment