ରାଉରକେଲା –ଓଡିଶାରେ ୨ଓମିକ୍ରନ ଭାରିଆଣ୍ଟ ଅକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଇତିମଧ୍ୟରେ ଜିଲ୍ଲାକୁ ୩୨୬ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି । ଏମାନେ ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ‘ହାଇ ରିସ୍କ୍’ ଦେଶ, ଯଥା- ସିଙ୍ଗାପୁର, ଇସ୍ରାଏଲ, ୟୁକେ, ବ୍ରାଜିଲ, ଚୀନ, ଦକ୍ଷିଣ ଆଫ୍ରିକା ବୋସୱାନା, ମରିସସ, ନ୍ୟୁଜିଲାଣ୍ଡ, ହଂକଂ, ଜିମ୍ବାୱେ ଆଦି ଦେଶରୁ ଆସିନାହାନ୍ତି । ଏମାନେ ମୁଖ୍ୟତଃ ଆମେରିକା, ଆୟର୍ଲାଣ୍ଡ୍, ଦୁବାଇ, ଜର୍ମାନୀ ଆଦି ଦେଶରୁ ଆସିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪୪ ଜଣ ଇତିମଧ୍ୟରେ ନିଜ ନିଜ କର୍ମକ୍ଷେତ୍ରକୁ ଫେରିସାରିଲେଣି ।
ଏବେ ଜିଲ୍ଲାରେ ମୋଟ୍ ୨୮୨ ଜଣ ବିଦେଶ ଫେରନ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୮୮ ଜଣଙ୍କର ସ୍ୱାବ୍ ନମୁନା ସଂଗୃହୀତ ହୋଇ ପରୀକ୍ଷା କରାଯାଇସାରିଲାଣି । କେବଳ ଦୁଇ ଜଣଙ୍କ ବ୍ୟତିତ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଏଯାବତ୍ ବଳକା ୯୪ ଜଣ ବିଦେଶ ଫେରନ୍ତାଙ୍କ ପତ୍ତା ମିଳିପାରୁନି । ଏମାନେ ନିଜର ଭୁଲ୍ ଠିକଣା, ଫୋନ ନମ୍ବର ଦେଇଥିବାରୁ କଣ୍ଟ୍ରାକ୍ଟ ଟ୍ରେସିଂ ସଂମ୍ଭବପର ହୋଇପାରୁନି । ସ୍ୱେଚ୍ଛାକୃତଭାବେ ଆଗେଇ ଆସି କୋଭିଡ୍ ଟେଷ୍ଟ୍ କରିବା ବଦଳରେ ଆତ୍ମଗୋପନ କରୁଥିବା ଏହ ବିଦେଶ ଫେରନ୍ତାକୁ ଠାବ କରିବାକୁ ଜିଲ୍ଲା ପ୍ରଶାସନ ଛାନ୍ଭିନ୍ ଜାରି ରଖିଛି । ଖୁବଶୀଘ୍ର ସମସ୍ତଙ୍କୁ ଚିହ୍ନଟକରି ସାମୂହିକ କୋଭିଡ୍ ପରୀକ୍ଷା କରାଯିବବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ଜିଲ୍ଲାକୁ ଆସିଥିବା ଦୁଇ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଯେଉଁ ‘ଓମିକ୍ରନ୍’ ଆକ୍ରାନ୍ତ ସନ୍ଦେହ କରାଯାଉଥିଲା, ତାହା ଦୂର ହୋଇଛି । ଉଭୟ ଆକ୍ରାନ୍ତ ଓମିକ୍ରନ୍ ନୁହେଁ, ବରଂ ଡେଲ୍ଟା ଭରିଆଣ୍ଟ୍ରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ସଙ୍ଗରୋଧ ସମୟ ଶେଷ ହୋଇସାରିଥିବା ଓ ସୁସ୍ଥ ଥିବାରୁ ଉଭୟେ ଚିକିତ୍ସାଧୀନ ଥିବା ହସପିଟାଲ, ଯଥା-ବ୍ରହ୍ମପୁର କୋଭିଡ୍ ହସପିଟାଲ ଓ ଜୟ ପ୍ରକାଶ କୋଭିଡ୍ ହସପିଟାଲରୁ ମୁକ୍ତ ହୋଇସାରିଛନ୍ତି । ପ୍ରକାଶଥାଉକି, ଆକ୍ରାନ୍ତ ହୋଇଥିବା ଏହି ଦୁଇ ସଂପର୍କୀୟ ଗତ ୬ ତାରିଖରେ ଦୁବାଇରୁ ରାଉରକେଲାକୁ ଫେରିଥିଲେ । ଏମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ନାଗରିକ(୬୧) ଓ ଜଣେ ମହିଳା(୩୮) ଥିଲେ । ରାଉରକେଲାକୁ ଫେରିବାପରେ ନିୟମାନୁସାରେ ଉଭୟଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଦୁଇ ଦିନ ପରେ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଏମାନଙ୍କ ମଧ୍ୟରୁ ଜଣେ ଭଞ୍ଜନଗର ସ୍ଥିତ ନିଜ ସଂପର୍କୀୟଙ୍କ ପାଖକୁ ଯାଇଥିବାବେଳେ ସେଠାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଆଣି ବ୍ରହ୍ମପୁର କୋଭିଡ୍ ହସପିଟାଲରେ ରଖାଯାଇଥିଲା । ଅପରପକ୍ଷରେ ରାଉରକେଲାରେ ଥିବା ଅନ୍ୟତମ ଆକ୍ରାନ୍ତଙ୍କୁ ଜୟ ପ୍ରକାଶ ହସପିଟାଲରେ ଭର୍ତ୍ତିର୍ି କରାଯାଇଥିଲା । ଉଭୟେ ବିଦେଶ ଫେରନ୍ତା ଥିବାରୁ ସେମାନଙ୍କର ସ୍ୱାବ୍ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା । ଏହା ବେଶ୍ କିଛି ଦିନଧରି ଚାଞ୍ଚଲ୍ୟ ଖେଳାଇଦେଇଥିଲା । ଓମିକ୍ରନ୍ ଆକ୍ରାନ୍ତ ଥିବା ସନ୍ଦେହ ବି ସୃଷ୍ଟି ହୋଇଥିଲା । କିନ୍ତୁ ଦୁଇ ଦିନ ପୂର୍ବେ ରିପୋର୍ଟ ନେଗେଟିଭ୍ ଆସିବାରୁ ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆଶ୍ୱସ୍ତି ମିଳିଛି । ଏବେ ରାଉରକେଲା ବାସୀ ସାବଧାନ ହୋଇଯାଆନ୍ତୁ ଓମିକ୍ରନ ଭାରିଆଣ୍ଟ ଦେଶରୁ ଫେରି ଆପଣଙ୍କ ଅଞ୍ଚଳରେ ତୁରନ୍ତ ଯିଏ ଏ ସଂକ୍ରାନ୍ତରେ ଖବର ପାଉଛନ୍ତି ତୁରନ୍ତ ପ୍ରଶାସନକୁ ଜଣାନ୍ତୁ ।