ଅନୁଭବଙ୍କ ଚିଠି ପରେ ବର୍ଷାଙ୍କ ବିରୋଧରେ ନିଆଗଲା ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ବର୍ଷା ଅନୁଭବଙ୍କ ବିବାଦରେ ଆସିଲା ଏଭଳି ଏକ ଟ୍ୱିଷ୍ଟ । ସୁପରଷ୍ଟାର ତଥା ସାଂସଦ ଅନିଭବ ମହାନ୍ତି ଚିଠି ପରେ ଲୋକସଭା ନେଲା ଏଭଳି ପଦକ୍ଷେପ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉଜ୍ (ପତ୍ନୀ) ପରିଚୟପତ୍ରକୁ ଆଜି ଲୋକସଭା ସଚିବାଳୟ ବାତିଲ କରିଛି ।

ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷାଙ୍କୁ ପତ୍ର ଲେଖାଯାଇଛି । ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପନିର୍ଦ୍ଦେଶିକା ଦୀପିକା ଭାଲ୍ଲାଙ୍କ ଦ୍ୱାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉଜ୍ ପରିଚୟପତ୍ର (ନମ୍ବର-୩୦୦)କୁ ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରାଯାଇଛି । ଏହାକୁ ଯଥାଶୀଘ୍ର ଲୋକସଭା ସଚିବାଳୟର ସିପିଆଇସି କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ତାଙ୍କୁ କୁହାଯାଇଛି । ସାଂସଦ ଅନୁଭବ ମହାନ୍ତି ଲୋକସଭା ମହାସଚିବଙ୍କୁ ଲେଖିଥିବା ଏକ ପତ୍ର ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର ୨୦, ୨୦୨୧ରେ ଅନୁଭବ ଏହି ପତ୍ର ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ପାଉଜ୍ ପରିଚୟପତ୍ର ପ୍ରଦାନ କରାଯାଇଛି । ଏବେ ଏହା ତାଙ୍କ ପାଖରେ ରହିଛି । ନିକଟରେ ବର୍ଷା ପାସପୋର୍ଟ (ଜେନେରାଲ୍‌/ଡିପ୍ଲୋମାଟିକ୍‌) ତଥା ପାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ୍ ହାସଲ କରିବା ପାଇଁ ଜାଲ ଏବଂ ଭୁଲ ସୂଚନା ଦେଇଥିବା ତାଙ୍କ ନଜରକୁ ଆସିଛି । ସାଂସଦଙ୍କ ପତ୍ନୀ ରୂପେ ଏଭଳି କାର୍ଯ୍ୟ ଶୋଭନୀୟ ନୁହେଁ । ଜଣେ ଦାୟିତ୍ୱବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବନ୍ଧିତ ବିଭାଗକୁ ଅବଗତ କରାଇଛନ୍ତି । ଏହିସବୁ ମାମଲାର ତଦନ୍ତ ଚାଲିଛି । ତଦନ୍ତର ଫଳାଫଳ ଆସିବା ପରେ ସେ ଏ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବେ । ବର୍ଷାଙ୍କୁ ଦିଆଯାଇଥିବା ସ୍ୱାଧିକାର, ଅଧିକାର ତଥା ସ୍ପାଉଜ୍ ପରିଚୟ ପତ୍ରକୁ ବାତିଲ କରାଯାଉ । ସଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷାଙ୍କ ସ୍ପାଉଜ୍ ପରିଚୟପତ୍ରକୁ ବାରଣ କରାଯାଉ । ସ୍ପାଉଜ୍ ପରିଚୟପତ୍ର ସହିତ ଅନ୍ୟାନ୍ୟ ସ୍ୱାଧିକାର ଓ ଅଧିକାରଗୁଡ଼ିକର ଯେ ଭଳି ବର୍ଷାଙ୍କ ଦ୍ୱାରା ଦୁରୁପଯୋଗ ହେବନାହିଁ , ସେ ନେଇ ଅନୁଭବ ତ୍ୱରିତ ତଥା ଆବଶ୍ୟକ ପଦକ୍ଷେପ ନେବା ପାଇଁ ଲୋକସଭା ମହାସଚିବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ । ଆମେ ଏଠି କହିପାରିବା ଯେ ପାରିବାରିକ ବିବାଦ ବେଳକୁ ବେଳ ଉଗ୍ର ରୁପ ନେଉଛି । ଏହି ବିବାଦରେ କୈାଣସି ସାମାଧାନର ବାଟ ଫିଟିବା ଅସମ୍ଭବ । ହେଲେ ଅନ୍ୟ ପକ୍ଷରେ ଅନୁଭବ-ବର୍ଷାଙ୍କ ଫ୍ୟାନଙ୍କୁ ଶକ୍ତ ଧକା ଲାଗିଛି ।

Leave a Comment