ମମିତା ମହେର ହତ୍ୟା ଘଟଣାରେ ସରକାରଙ୍କ ଷ୍ଟାଟସ୍ ରିପୋର୍ଟ ଦାଖଲ

କଟକ – ବହୁ ବାଦ ବିବାଦ ପରେ ଆଜି ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ସରକାର ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ଆଜି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଗଲାନାହିଁ କିବ ମନ୍ତ୍ରୀ ଇସ୍ତଫା ଦେଲେ ନାହିଁ । ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ. ନାଇଡୁଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି । ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ପକ୍ଷଭୁକ୍ତ ପାଇଁ କଳାହାଣ୍ଡି ମେହେର ସମାଜ ପକ୍ଷରୁ ଏକ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା । ୨୦୨୨, ଜାନୁଆରି ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ, ମମିତା ମେହେରଙ୍କ ମୃତ୍ୟୁ ଘଟଣା ନେଇ ସିନ୍ଧେକେଲା ଥାନାରେ ରୁଜୁ ମାମଲାର ତଦନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରାଯାଉ ବୋଲି ଦର୍ଶାଇ ମମିତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ।
ଦାୟର ଆବେଦନରେ ଦର୍ଶାଯାଇଛି ଯେ ମମିତାଙ୍କ ହତ୍ୟା ସମ୍ପର୍କିତ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ଚାଞ୍ଚଲ୍ୟକର ଘଟଣା ଭାବେ ଗଣମାଧ୍ୟମ ଓ ରାଜନୈତିକ ଦଳ ଦର୍ଶାଉଛନ୍ତି । ମମିତାଙ୍କ ଚରିତ୍ର ଉପରେ ଆପତ୍ତିଜନକ କଥା କୁହାଯାଉଛି । ପୀଡିତ ପରିବାରର ଭାବନା ଓ ମୃତକଙ୍କ ପ୍ରତି କୈାଣସି ସମ୍ମାନ ପ୍ରସଙ୍ଗକୁ ବିଚାରକୁ ନିଆଯାଉ ନାହିଁ । ଏହି ଘଟଣାରେ ଅକ୍ଟୋବର ୨୦ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା । ଏଥି ସହିତ ରାଧେଶ୍ୟାମକୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା । ଅପରାଧରେ ଅଭିଯୁକ୍ତ ଗୋବିନ୍ଦ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିଥିଲା । ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ପୀଡିତାଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା । ଏହି ସମଗ୍ର ମାମଲାର ରାଜନୈତିକ ଦଳ ଗୁଡିକ ରାଜନୀତିକରଣ କରିଛନ୍ତି । ପୀଡିତ ଓ ଶୋକସନ୍ତପ୍ତ ପରିବାରର ମର‌୍ୟ୍ୟାଦା ହାନି ହୋଇଛି । କେତେକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରାଯାଇଥିଲା । ଏଭଳି ଘଟଣା ଆବେଦନକାରୀ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଗଭୀର ଆଘାତ ଦେଇଛି । ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏ ପର‌୍ୟ୍ୟନ୍ତ ପୁଲିସ ଚାର୍ଜସିଟ୍ ଦାଖଲ କରି ନାହିଁ । ତଦନ୍ତ ଚାଲିଥିବା ସ୍ଥିତିକୁ ରାଜନୈତିକ ଦଳ ଓ ଗଣମାଧ୍ୟମ ବ୍ୟବହାର କରୁଛନ୍ତି । ପୀଡିତାଙ୍କ ଚିରିତ୍ର ସଂହାର କରାଯାଉଛି । ଘର ବାହାରେ ଗଣମାଧ୍ୟମ ଭ୍ୟାନ ଗୁଡିକ କ୍ୟାମ୍ପ୍ କରି ଆବେଦନକାରୀଙ୍କ ମତାମତ ନେବାକୁ ଉଦ୍ୟମ କରୁଛନ୍ତି ।
ଆବେଦନକାରୀଙ୍କ ଭାବନାକୁ ବିଚାରକୁ ନିଆଯାଉ ନାହିଁ । ଆବେଦନକାରୀଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାରୁ ଗଣମାଧ୍ୟମକୁ ନିବୃତ୍ତ ରଖିବା ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ନେଇ କୈାଣସି ସହଯୋଗ ମିଳୁ ନାହିଁ । ଏଭଳି ସ୍ଥିତିରେ ପୀଡିତାଙ୍କ ବାପା ଓ ଭାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି । ଯଥାଶୀଘ୍ର ଘଟଣାର ତ୍ୱରିତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ । ଏହାଦ୍ୱାରା ପୀଡିତା ତ୍ୱରିତ ନ୍ୟାୟ ପାଇ ପାରନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗରେ ଆବେଦନକାରୀଙ୍କ ରହିଥିବା ମୈାଳିକ ଅଧିକାର ସୁରକ୍ଷିତ ରଖିବା ଲାଗି ତଥା ଗଣମାଧ୍ୟମ ଓ ରାଜନୈତିକ ଦଳ ନିକଟରୁ ପୀଡିତ ପରିବାରକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି । ଆବେଦନକାରୀ ଓ ପୀଡିତ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସୁରକ୍ଷିତ ରଖିବା ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ପ୍ରାର୍ଥନା କରି ଏକ ଅନ୍ତରୀଣ ଆବେଦନ ମଧ୍ୟ ଦାଖଲ କରାଯାଇଛି । ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ବଲାଙ୍ଗୀର ଏସପି, ଜିଲ୍ଲାପାଳ ଓ ସିନ୍ଧେକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ଆଇନଜୀବୀ ସୈାମ୍ୟରଞ୍ଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗକୁ ମମିତା ମେହେର ପରିବାରକୁ ନ୍ୟାୟ ମିଳୁଛି ନା ଇତିଶ୍ରୀ ବେବିନା ଭଳି ଏ ଘଟଣା କିଛି ଦିନ ପରେ ସମସ୍ତେ ଚୁପ୍ ହେଇଯାଉଛନ୍ତି ।

Leave a Comment