ଆଗକୁ ଆସୁଛି ସଫଳା ଏକାଦଶୀ, ଏହିଦିନ ଆପଣ କ’ଣ କଲେ ପାଇବେ ୧୦୦ଜନ୍ମର ପୁଣ୍ୟଫଳ

ବୈଦିକ ରିତିନୀତି ଅନୁସାରେ ପ୍ରତ୍ୟକ ଦିନର କିଛି ନା କିଛି ମହତ୍ୱ ରହିଛି । ହେଲେ ତାକୁ କେତେ ମାତ୍ରାରେ ଆମେ କାର୍ଯ୍ୟରେ ଲଗାଇପାରିବା ତାହା ହେଉଛି ଆମର ପ୍ରଥମ ଲକ୍ଷ୍ୟ । ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ । ‘ସଫଳା ଏକାଦଶୀ’ ବ୍ରତକଥାଟି ସତ୍ୟଯୁଗର ବୋଲି ସେଥିରେ କୁହାଯାଇଛି । ତାହା ଅନୁସାରେ, ସତ୍ୟ ଯୁଗରେ ଚମ୍ପାବତୀ ନଗ୍ରରେ ଥିଲେ ମାହିଷ୍ମତ ନାମରେ ଜଣେ ରାଜା । ତାଙ୍କର ଥିଲେ ଚାରିପୁତ୍ର । ଚାରିଜଣ ଯାକ ଥିଲେ ଦୁରାଚାରୀ ।

ସବୁଠୁ ଦୁରାଚାରୀ ଥିଲା ଜ୍ୟେଷ୍ଠପୁତ୍ର ଲମ୍ବକ । ଲମ୍ବକର ସ୍ୱଭାବ ଓ ଚରିତ୍ରରେ ଅତିଷ୍ଠ ହୋଇ ମାହିଷ୍ମତ ତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ । ଫଳରେ ସେ ବନକୁ ଯାଇ, ପଶୁପକ୍ଷୀ ମାରି, ମାଂସ ଖାଇ, ଜୀବନ ବିତାଇବାକୁ ଲାଗିଲା । ଏପରିକି, ଯେଉଁ ଅଶ୍ୱତ୍‌ଥ ବୃକ୍ଷ ତଳେ ଜନମାନବ ବାସ କରିବା ନିଷେଧ, ସେହି ଅଶ୍ୱତ୍‌ଥ ବୃକ୍ଷ ତଳେ ସେ ବାସ କଲା । ଏହିପରି ଭାବରେ ଅନେକ ଦିନ ଦୁଃଖ କଷ୍ଟରେ ବିତାଇବା ପରେ, ତାର ମନରେ ଭାବନା ଆସିଲା- ଜୀବହତ୍ୟା ପାପ । ଆଉ ଜୀବହତ୍ୟା କରି ନରକକୁ ଯିବି ନାହିଁ । ଫଳାହାର କରି ଦିନ ବିତାଇବି । ବେଶ୍ୟାଳୟରେ ଅର୍ଥ ଅପବ୍ୟୟ ନକରି ସେହି ଧନକୁ ସତ୍ କାର୍ଯ୍ୟରେ ଲଗାଇଥିଲେ ଏତେ ପାପ ଅର୍ଜି ନଥାନ୍ତି ।


ଦିନେ ପ୍ରବଳ ଶୀତ ଓ ଖାଦ୍ୟାଭାବ ଯୋଗୁଁ ସେ ବହୁ କଷ୍ଟ ପାଇଲା । ସେଦିନଟି ଥିଲା ପୌଷ କୃଷ୍ଣ ଏକାଦଶୀ । ସାରା ରାତି ତାକୁ ନିଦ ହେଲା ନାହିଁ । ବିଷ୍ଣୁଙ୍କ ନାମ ସ୍ମରଣ କରି ରାତିଟି ବିତାଇଲା । ପରଦିନ ସକାଳେ କିଛି ଫଳମୂଳ ସଂଗ୍ରହ କରି, ସେସବୁକୁ ନାରାୟଣଙ୍କୁ ସମର୍ପଣ କରି, ତାହାକୁ ଭୋଜନ କଲା । ତାହା ଫଳରେ, ଅଜାଣତରେ ହେଉପଛେ, ନାରାୟଣ ତା’ ପ୍ରତି ସଦୟ ହେଇ ତାକୁ ଏକାଦଶୀ ବ୍ରତର ଶୁଭ ଫଳ ଦେଲେ । ଲମ୍ବକର ଦୁର୍ଗତି ଦୂର ହେଲା । ପରବର୍ତ୍ତୀ କାଳରେ ଲମ୍ବକ ମଧ୍ୟ ଚମ୍ପାବତୀ ନଗ୍ରର ରାଜା ହେଲେ । ବନାଶ୍ରମ ବିଧିରେ, ନିଷ୍ଠାପର ଓ ପବିତ୍ର ଜୀବନଯାପନ କରି ଜଣେ ପ୍ରଜାବତ୍ସଳ ରାଜା ରୂପେ ଖ୍ୟାତ ହେଲେ । ମୃତ୍ୟୁ ପରେ ସେ ବିଷ୍ଣୁଲୋକରେ ସ୍ଥାନ ପାଇଲେ । ଏହି ବ୍ରତ କଥାରେ, ମାଂସାହାର ବର୍ଜନ କରି ଫଳାହାର ପରି ଶୁଦ୍ଧ ସାତ୍ତ୍ୱିକ ଆହାର ନିମନ୍ତେ ଆମକୁ ପ୍ରରୋଚିତ କରାଯାଇଛି । ବିଷ୍ଣୁଭକ୍ତି ଫଳରେ ତାହାର ସୁଫଳ ଲାଭ କରି ବ୍ୟକ୍ତି ସଫଳ ହୁଏ ବୋଲି କୁହାଯାଇଛି । ଆମେ ଏଇଠି କହିରଖୁଛୁ ଯେ ଆପଣଙ୍କ କର୍ମ ଫଳ ଆପଣଙ୍କ ଭବିଷ୍ୟତ । ଯେମିତି କର୍ମ କରିବେ ସେମିତି ଫଳ ପାଇବେ ।

Leave a Comment