ଭୁବନେଶ୍ୱର – ଆପଣ ମାନଙ୍କ ମନୋମୁଖି ଶାସନ ଚଳିବ ନାହିଁ । ଆପଣ ଆଗାମୀ ନିର୍ବାଚନରେ ଯଦି ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି ତେବେ ପଢିନିୟନ୍ତୁ ସମସ୍ତ ନିୟମା ବଳି । ବିଧାୟକ ଓ ସାଂସଦଙ୍କ ଭଳି ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତ୍ତିି ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠରେ ବିସ୍ତୃତ ଓ ନିର୍ଭୁଲ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ପ୍ରାର୍ଥୀମାନେ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଲେ ଦଣ୍ଡ ଭୋଗିବେ । ଏପରିକି ପ୍ରାର୍ଥୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । କେବଳ ଜରିମାନା, ଜେଲ୍ ଦଣ୍ଡ କିମ୍ବା ଉଭୟ ଦଣ୍ଡ ବି ହୋଇପାରେ । ଦଣ୍ଡ ବ୍ୟବସ୍ଥା ସହ ପଞ୍ଚାୟତ ପ୍ରତିନିଧିଙ୍କୁ ଅଧିକ କ୍ଷମତା ପ୍ରଦାନ ନିମନ୍ତେ ଓଡ଼ିଶା ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ନିଜେ କିମ୍ବା ପ୍ରସ୍ତାବକଙ୍କ ମାଧ୍ୟମରେ ସତ୍ୟପାଠ ଦାଖଲ କରିପାରିବେ । ଅଧ୍ୟାଦେଶ ଜରିଆରେ ରାଜ୍ୟ ସରକାର ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରୁଥିଲେ । ହେଲେ ତଥ୍ୟ ପ୍ରଦାନ ବାଧ୍ୟତାମୂଳକ ନଥିଲା, କି ଭୁଲ୍ ତଥ୍ୟ ପାଇଁ ଦଣ୍ଡବିଧି ନ ଥିଲା । ଏଣୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସଂଶୋଧନ ଆଣି ଦଣ୍ଡ ବ୍ୟବସ୍ଥା କରିଛନ୍ତି । ଶୁକ୍ରବାର ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୫, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୫୯ର ଧାରା ୪୫ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ଧାରା ୩୩ରେ ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ଅନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ଏସବୁ ତଥ୍ୟ ଦେବ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନୂଆ ଆଇନ ଲାଗୁ କରାଯିବ । ସେହପରି ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୪୪ ଓ ପଞ୍ଚାୟତ ସମିତି ଆଇନର ଧାରା ୨୦ରେ ସଂଶୋଧନ କରାଯାଇ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିପର୍ଯ୍ୟୟ ପରିଚାଳନା ପାଇଁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ବେଳେ ରିଲିଫ୍, ଥଇଥାନ ଓ ପୁନଃ ନିର୍ମାଣରେ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହେବେ । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୩ ଅନୁସାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ଗ୍ରାମ ଓ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହେବ । ଯାହା ବିପର୍ଯ୍ୟୟରେ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଥଇଥାନ ଦିଗରେ ସହାୟକ ହେବ । ରାଜ୍ୟ ଯୋଜନା ଓ ଜିଲ୍ଲା ଯୋଜନା ସହିତ ଏହାକୁ ସାମିଲ କରାଯିବା ସହିତ ଆବଶ୍ୟକ ପଦକ୍ଷେପଗୁଡିକ ନିଆଯିବ ।
