ଓମିକ୍ରନ ପାଇଁ ନବୀନଙ୍କୁ ଘାରିଲା ଚିନ୍ତା, କଣ ଦେଲେ ନିର୍ଦ୍ଦେଶ ଆସନ୍ତୁ ଜାଣିବା

ଭୁବନେଶ୍ୱର- ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି । ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ । ତେଣୁ ଆମକୁ ଅଧିକ ସତର୍କ ରହିବା ସହିତ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ । ବିଶେଷ କରି ପିଲାମାନଙ୍କ ମଧ୍ୟରେ ଅଧିକ ହସ୍ପିଟାଲ ଚିକିତ୍ସାର ଆବଶ୍ୟକତା ପଡ଼ୁଥିବା ନଜରକୁ ଆସୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଶିଶୁଙ୍କ ଚିକିତ୍ସା ପାଇଁ ପର‌୍ୟ୍ୟାପ୍ତ ବ୍ୟବସ୍ଥା କାର‌୍ୟ୍ୟକାରୀ କରିବା ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସୋମବାର ଦିନ କୋଭିଡ ମହାମାରୀ ତଥା ଏହାର ନୂଆ ପ୍ରଜାତି ‘ଓମିକ୍ରନ’ ସଂପର୍କିତ ପ୍ରସ୍ତୁତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାର‌୍ୟ୍ୟାନ୍ୱୟନ ସଂପର୍କରେ ସମୀକ୍ଷା କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ଦ୍ୱିତୀୟ ଲହର ସମୟରେ କୋଭିଡ ଚିକିତ୍ସା ପାଇଁ ଯେଉଁସବୁ ବ୍ୟବସ୍ଥା ଓ ସୁବିଧା କରାଯାଇଥିଲା, ସେସବୁକୁ ପୁନଃ କାର‌୍ୟ୍ୟକ୍ଷମ କରି ପ୍ରସ୍ତୁତ ରଖାଯାଉ । ଏହାଦ୍ୱାରା ହସ୍ପିଟାଲଗୁଡିକରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ । ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ କରନ୍ତୁ । ପୋଲିସ ବିଭାଗ ମଧ୍ୟ କୋଭିଡ ନିୟମ ଗୁଡିକର ଦୃଢ ଅନୁପାଳନ ସୁନିଶ୍ଚିତ କରିବା ଜରୁରୀ । ଏ କ୍ଷେତ୍ରରେ କୌଣସି ଆତ୍ମସନ୍ତୋଷ ରହିବା ଉଚିତ ନୁହେଁ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ନୂଆ ସଚେତନତା ଅଭିଯାନ କରାଯିବା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଅବଲମ୍ବନ ଓ ହାତ ଧୋଇବା ଆଦି ସଂପର୍କରେ ସଚେତନ କରାଯାଉ । ଜିଲ୍ଲାପାଳମାନେ ଲୋକଙ୍କୁ ସଚେତନ କରିବା ପାଇଁ ସମାଜର ସବୁ ବର୍ଗର ଲୋକ ବିଶେଷକରି ପଞ୍ଚାୟତ ପ୍ରତିନିଧି, ମିସନ ଶକ୍ତି ଗୋଷ୍ଠୀ ଓ ଅନ୍ୟମାନଙ୍କୁ ସାମିଲ କରି କାର‌୍ୟ୍ୟକ୍ରମ ଗ୍ରହଣ କରନ୍ତୁ । ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । କରୋନାର ନୂଆ ପ୍ରଜାତି ଖୁବ ଜୋରରେ ବ୍ୟାପୁଥିବାରୁ ଆଉ ଗୋଟିଏ ନୂଆ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଜନସାଧାରଣମାନେ ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମର ଅନୁପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ସ୍ମାର୍ଟ ହେଲ୍‌ଥ କାର୍ଡଗୁଡିକର ବଣ୍ଟନ ପାଇଁ ସଂପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ଏହି ଯୋଜନାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ପ୍ରଭାବ ରହିଥିବା କହିଥିଲେ । ଏହି କାର‌୍ୟ୍ୟକ୍ରମରେ ଅନୁବନ୍ଧିତ ବେସରକରୀ ହସ୍ପିଟାଲଗୁଡିକରେ ଯୋଜନାର କାର‌୍ୟ୍ୟାନ୍ୱୟନ ସଂପର୍କରେ ନିୟମିତ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳ ଓ ଏସ୍‌ପିମାନଙ୍କୁ ନିର୍ଦେଶ ଦେଇଛନ୍ତି ।ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହିତ ନିୟମିତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍କେ ଶର୍ମା କହିଥିଲେ ଯେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ସହିତ ନିୟମର ଦୃଢ ଅନୁପାଳନ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇ ନ ଥିବା ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଅକ୍ସିଜେନ୍ ପାଇଁ ୮୨ଟି ପିଏସ୍‌ଏ ପ୍ଲାଣ୍ଟ ଓ ୧୫ଟି ଏଲଏମ୍‌ଓ ପ୍ଲାଣ୍ଟ କରାଯିବ । ସବୁ ଚିକିତ୍ସାଳୟରେ ଆବଶ୍ୟକ ଅକ୍ସିଜେନ୍‌ର ବ୍ୟବସ୍ଥା ରହିଛି । କୋଭିଡ ହସ୍ପିଟାଲଗୁଡିକରେ ୬୬୮୪ଟି ଶଯ୍ୟା ଏବଂ ପିଲାଙ୍କ ପାଇଁ ୧୧୯୪ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଶ୍ରୀ ଶର୍ମା କହିଥିଲେ ଯେ ଏହି ଯୋଜନାରେ ଓଡିଶାର ୨୭୫ଟି ବେସରକାରୀ ହସ୍ପିଟାଲ ଅନୁବନ୍ଧିତ ହୋଇଛନ୍ତି । ୫୫ଟି ଜାତୀୟ ସ୍ତରର ହସ୍ପିଟାଲ ଖୁବ ଶୀଘ୍ର ଏହି ଯୋଜନାରେ ସେବା ଯୋଗାଇବେ । ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ୯୫ ପ୍ରତିଶତ ସ୍ମାର୍ଟ କାର୍ଡ ପାଇସାରିଲେଣି ବୋଲି ସେ ସୂଚନା ଦେଇଛନ୍ତି । ପୁଲିସ ମହାନିର୍ଦେଶକ ଅଭୟ, କୋଭିଡ ପ୍ରୋଟୋକଲ ଅନୁପାଳନ ପାଇଁ ପୁଲିସର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଓ ଏସ୍‌ପିମାନେ ବେସରକାରୀ ହସ୍‌ପିଟାଲଗୁଡିକ ସହିତ ବିଏସ୍‌କେୱାଇ ଯୋଜନା ସଂପର୍କରେ ନିୟମିତ ବୈଠକ କରିବା ଆବଶ୍ୟକ । ଏହାଦ୍ୱାରା ଯୋଜନାର ସଫଳ ରୂପାୟନ ହୋଇପାରିବ । ଯେଉଁ ଜିଲ୍ଲା ଗୁଡିକରେ କମ୍ ହିତାଧିକାରୀ କାର୍ଡ ପାଇଛନ୍ତି ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହାକୁ ତ୍ୱରାନ୍ୱତ କରି ସମସ୍ତଙ୍କୁ କାର୍ଡ ଦେବା ପାଇଁ ସେ କହିଛନ୍ତି । ବୈଠକରେ ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ, ଜିଲ୍ଲାପାଳ ଓ ଏସ୍‌ପିମାନେ ଯୋଗ ଦେଇଥିଲେ ।

Leave a Comment