ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ଲାଗିଲା ସଂକ୍ରମଣ ୯୦୦୦

ଭୁବନେଶ୍ୱର/ନୂଆଦିଲ୍ଲୀ – ଦେଶରେ ପୁଣି ଜନଜିବନ ଅସ୍ତବ୍ୟସ୍ତ କଲାଣି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ପ୍ରାୟ ୯ ହଜାରରୁ କିଛି ଅଧିକ ଥିବାବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସାମାନ୍ୟ ଅଧିକ ରହିଛି । ଭୟଙ୍କ ରୁପରେ ଓମିକ୍ରନ ସାବଧାନ ରହିଲେ ବଡ ବିପଦରୁ ଆମେ ସମସ୍ତେ ରକ୍ଷା ପାଇବା । ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଜନାସାଧାରଣଙ୍କୁ ସଚେତନ କରୁଛନ୍ତି ।


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୯୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୦୨ ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୮,୦୮,୮୮୬ରେ ପହଞ୍ଚିଛି ।

 

ଗତ ୨୪ ଘଣ୍ଟାରେ ହୋଇଥିବା ୩୦୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୦,୫୯୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୭,୩୪୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୨,୫୧,୨୯୨ । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୭,୦୦୨ । ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୭୮୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୩,୧୫,୩୫,୬୪୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୭,୫୨,୪୬,୧୪୩ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୧୧,୬୭,୬୧୨ଟି ନମୁନା ।

Leave a Comment