ଭୁବନେଶ୍ୱର – ପରବହନ ବିଭାଗ ତରଫରୁ ଏହି ନିୟମ ଆସିଲା ଯାହା ଫଳରେ ଆପଣଙ୍କ କାମ ଏବେ ଅତି ସହଜରେ ଓ ସୁବିଧାରେ ହୋଇପାରିବ । ନୂଆବର୍ଷରେ ଏହି ଭେଟି ରାଜ୍ୟ ପରବହନ ବିଭାଗ ତରଫରୁ ଦିଆଯାଇଛି । ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏଣିକି ଅନଲାଇନ ହେବ ପରିବହନ ବିଭାଗ । ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି । । ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ଦଲାଲଙ୍କ ଭୂମିକା ରହୁଥିଲା । ଏବେ ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି । ଅନଲାଇନରେ ଡିଏଲ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡ଼ୁନଥିଲା । ଏପରିକି ପରିବହନ ବିଭାଗର ଅନେକ କାର୍ଯ୍ୟକୁ ଡିଜିଟାଲ ମୋଡକୁ ଅଣାଯାଇଥିଲା । ଯାହାଦ୍ୱାରା ଆରଟିଓରେ ଲୋକଙ୍କ ଭିଡ଼ ପୂର୍ବଭଳି ଆଉ ହେଉନଥିଲା । କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ । କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ । ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି । ଏପରିକି ସଡ଼କ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି ।
