ତିଗିରିଆ ପୋଲିସ ଗାଡି ଉପରକୁ ବୋମା ମାଡ଼, ଅଳ୍ପକେ ବତ୍ତିଲେ ପୋଲିସ କର୍ମଚାରୀ

ତିଗିରିଆ – ନୂଆ ବର୍ଷରୁ ଅପରାଧ । ପୋଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ତିଗିରିଆରେ । ତିଗିରିଆ ପୋଲିସ ପକ୍ଷରୁ ନୂଆବର୍ଷ ପାଳନ ଅବସରରେ ହେଉଥିବା ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ରାଗରେ କେହି ଦୁର୍ବୁର୍ତ୍ତ ପୋଲିସ ଗାଡି ଉପରକୁ ବୋମା ମାଡ଼ କରିଥିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ କରୋନା ମହାମାରୀର ସମ୍ଭାବ୍ୟ ତୃତୀୟ ଲହରକୁ ଲକ୍ଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆବର୍ଷ ପାଳନ, ବଣ ଭୋଜି, ଜିରୋ ନାଇଟ ସେଲିବ୍ରେସନ, ବନ୍ଧୁ ମିଳନ ପରି କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଥିବା ବେଳେ ସରକାରଙ୍କର ଏହି ନିୟମକୁ ଅମାନ୍ୟ କରି ଆଜି ସନ୍ଧ୍ୟାରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଥିବା ଛକରେ ଡ୍ୟାନ୍ସ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ବେଳେ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ଘଟଣା ସମ୍ପର୍କରେ ସୂଚନା ପାଇ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ନାଚ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ । ପରେ ଥାନା ଆଇଆଇସି ଶ୍ରୀମତୀ ଜେନା ପାଟ୍ରୋଲିଂ ଯାଇ ରାତି ପ୍ରାୟ ସାଢ଼େ ଦଶଟା ସମୟରେ ସେହି ବାଟ ଦେଇ ଫେରୁଥିବା ବେଳେ କେହି ଦୁର୍ବୁର୍ତ୍ତ ଥାନା ଗାଡି ଉପରକୁ ବୋମା ମାଡ଼ କରିଥିବା ଜଣାପଡିଛି ।ଏହି ବୋମା ମାଡ଼ରେ କୌଣସି ଥାନା କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ବେଳେ ଥାନା ଗାଡି କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।ଏ ନେଇ ତିଗିରିଆ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି ।

Leave a Comment