ଭୁବନେଶ୍ୱର – ୨୦୨୨ରେ ଓଡିଶାକୁ ମାଡିଆସୁଛି ବଡ ବିପଦ । ଓଡ଼ିଶାର ଶାସନ କ୍ଷେତ୍ରରେ ଦେଖାଦେବ ବହୁ ଝଡ଼ଝଞ୍ଜା, ବିଶେଷ କରି ଏପ୍ରିଲରୁ ବର୍ଷ ଶେଷ ପର୍ଯ୍ୟନ୍ତ ଅଧିକ ସମସ୍ୟା ଦେଖାଦେବ । ମରୁଡ଼ି ରାଜ୍ୟବାସୀଙ୍କୁ କଲବଲ କରିବ । କିଛି ବଡ଼ ଦୁର୍ନୀତି ପାଇଁ ସରକାର ଭୟଙ୍କର ଅପବାଦ ମୁଣ୍ଡାଇବେ । ଏସବୁ ଭିତରେ ବିରୋଧୀ ଦଳ ପ୍ରଭାବୀ ପ୍ରଦର୍ଶନ କରିପାରିବେ ନାହିଁ । ବରଂ ଶାସକ ଦଳ ସହ ମିଶି କାମ କରିବେ । ଫଳରେ ଉଭୟ ସରକାରୀ ଓ ବିରୋଧୀ ଦଳ ଲୋକଙ୍କ ଆସ୍ଥା ହରାଇବେ । ରାଜ୍ୟରେ ଲୋକ ନୂଆ ବିକଳ୍ପ ସନ୍ଧାନ କରିବେ ।
୨୦୨୨ରେ ଓଡ଼ିଶା ଶାସନ ଓ ରାଜନୀତିକୁ ନେଇ ଏମିତି ଗଣନା କରିଛନ୍ତି ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ । ତାଙ୍କ କହିବା ଅନୁଯାୟୀ ବିଭିନ୍ନ ଜନଆନ୍ଦୋଳନରେ ବର୍ଷଟି କଟିବ । ବହୁ ଯୋଜନା ମିଥ୍ୟାରେ ପରିଣତ ହେବ । ଅର୍ଥକୁ ନେଇ ଅଣାୟତ ପରିସ୍ଥିତି ସୃଷ୍ଟି ହେବ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଅଭାବ ହେତୁ ଓଡ଼ିଶା ବହୁ ସମସ୍ୟାର ପଡ଼ିବ । ତେବେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ । କିଛି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲିବାର ସମ୍ଭାବନା ରହିଛି । ଏ ବର୍ଷ ନିର୍ବାଚନଗୁଡ଼ିକରେ ସରକାରୀ ଦଳ ପ୍ରଦର୍ଶନ ସେତେଟା ଭଲ ହେବ ନାହିଁ । ଏପରିକି ଏପ୍ରିଲ୍ ମାସ ପରେ ସରକାରୀ ଦଳରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଗଣନା କରିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରର ସୂତ୍ର ଅନୁସାରେ କର୍କଟ ଲଗ୍ନ ପାଇଁ ବୁଧ ଓ ଶନି ଅତ୍ୟନ୍ତ ଅଶୁଭ ଗ୍ରହ । ନବୀନ ପଟ୍ଟନାୟକଙ୍କ କୋଷ୍ଠୀରେ ମାର୍ଚ୍ଚ ମାସରୁ କେତୁ+ଶନି ଚଳନ ଭୋଗ ସମୟରେ କେନ୍ଦ୍ର ସରକାରଙ୍କ ଆସ୍ଥା ହରାଇବେ । ବିଭିନ୍ନ ଦୁର୍ନୀତି, କେଳେଙ୍କାରି ଅଡ଼ୁଆରେ ପକାଇବ । ଲଗ୍ନରେ ସପ୍ତମ ସ୍ଥାନ ପ୍ରତି ଶନି, ମଙ୍ଗଳ ଓ ରାହୁର ଦୃଷ୍ଟି ତଥା କାଳସର୍ପ ଯୋଗରେ ଜନ୍ମ ହୋଇଛନ୍ତି । କେତୁ ଓ ଶନି ଅନ୍ତରଦଶା ସମୟ ମାର୍ଚ୍ଚରୁ ବର୍ଷ ଶେଷ ସମୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ । ଏଥିପାଇଁ ସେ ବହୁ ସମୟରେ ରାଜ୍ୟ ବାହାରେ ରହିପାରନ୍ତି । ତେବେ ଏ ବର୍ଷ ମୁଖ୍ୟମନ୍ତ୍ରୀ ଚଉକି ପ୍ରତି କୈାଣସି ବିପଦ ନାହିଁ ।
ମନ୍ତ୍ରିମଣ୍ଡଳ ସମ୍ପର୍କରେ ପଣ୍ଡିତ ଆଚାର୍ଯ୍ୟ କହିଛନ୍ତି ଯେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ । ପଶ୍ଚିମ ଓଡ଼ିଶାରୁ କିଛି ମନ୍ତ୍ରୀ ପଦ ଚାଲିଯାଇପାରେ । ବହୁ ମନ୍ତ୍ରୀ ବାଦ୍ ପଡ଼ିପାରନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାରୁ ନୂଆ ମନ୍ତ୍ରୀ ହୋଇପାରନ୍ତି । ଆଇନ୍, ଅର୍ଥ ଓ ଶିକ୍ଷା ବିଭାଗରେ ପରିବର୍ତ୍ତନ ହୋଇପାରେ । ମହାମାରୀ ସମ୍ପର୍କରେ ଭୃଗୁ ଜ୍ୟୋତିଷ ଆକଳନ କରିଛନ୍ତି ଯେ ମହାମାରୀର କୋପ ବର୍ଷ ଆରମ୍ଭରୁ କମିବ । ସାମାନ୍ୟ ପ୍ରକୋପ ଏପ୍ରିଲ୍ ପର୍ଯ୍ୟନ୍ତ ରହିବ । କିନ୍ତୁ ତାହା ଘାତକ ହେବ ନାହିଁ । ବର୍ଷ ଆରମ୍ଭରୁ ମହାମାରୀକୁ ମୁକାବିଲା ପାଇଁ ଔଷଧ ଉତ୍ପାଦନରେ ଭାରତ ସକ୍ଷମ ହେବ ।