ଓଡିଶା Exclusive ବ୍ୟୁରୋ (ସ୍ୱତନ୍ତ୍ର ଉପସ୍ଥାପନା : ଗୋପାଳ ଚନ୍ଦ୍ର )
କେଜାଣି ମନ ଟା ଭାରି ଇସ୍ତସ୍ତତଃ ଲାଗୁଥାଏ ,ହୃଦୟର ନିଭୃତ କୋଠରି ରୁ ସତେ ଯେମିତି କିଛି ଗୁଞ୍ଜରିତ ହେଉଥାଏ , ଥରେ ନୁହେଁ ବାରମ୍ବାର, ଯାହାକୁ ନିଜେ ମଧ୍ୟ ଶ୍ରବଣ କରିବାରେ ଅସମର୍ଥ I ତଥାପି ସେ ଅନ୍ତସ୍ୱର ତଡ଼ିତ ବେଗରେ ପ୍ରତିଧ୍ବନିତ ହେବାକୁ ଅହରହ ଉଦ୍ୟମରତ I ନୀରବତା ର ହାଲକା ପରିବେଶ ରୁ ଅଜାଣତ ରେ ଧ୍ୟାନ ହଟେଇ ଭୃକୁଞ୍ଚିତ ଭାବେ ବିଶାଳ ଗଗନେ ପ୍ରଶ୍ନ ର ଉତ୍ତର ଖୋଜୁଥିଲା ସମ୍ବିତ ଯଦିଓ ତାକୁ ଜଣାଥିଲା ସବୁ ପ୍ରଶ୍ନ ର ଯେ ଉତ୍ତର ନଥାଏ , ତଥାପି ସେ ଅନବରତ ଭୂଇଁ ରୁ ଆକାଶ ,ଆକାଶ ର ବକ୍ଷ ଦେଶ ରୁ ଧରିତ୍ରୀ କୁ ତୀର୍ଯ୍ୟକ ନଜର ରେ ଦୃଷ୍ଟି ନିକ୍ଷେପ କରୁଥାଏ ,କାଳେ ଉତ୍ତର ମିଳିଯିବ କି !
ସହର ର ଭିଡ ଭିତରୁ ଭାରି ଅଣନିଶ୍ୱାସୀ ଲାଗୁଥାଏ , ଏତେ ଭିଡ ଭିତରୁ ବି ଆପଣାର ମଣିଷ ଟିଏ ଖୋଜି ପାଇବା ଯେମିତି ତା ପାଇଁ ଭାରି ଅଦମ୍ୟ ଥିଲା I ସପ୍ତରଥୀ ର ଏ ମରୀଚିକା ସମ୍ପର୍କ ରେ ଅଭିମନ୍ୟୁ ସାଜି କେବଳ ବିକଟାଳ ତ୍ରାହି ଡାକିବା ବ୍ୟତୀତ ଅନ୍ୟ ଉପାୟ ଯେଭଳି ତା ପାଖରେ ନଥିଲା I ଅତୀତ ର ଅଦୃଶ୍ୟ ସ୍ମୃତି ରୁ ଉଜ୍ଜୀବିତ କିଛି ଦୃଶ୍ୟ କୁ ଦୋହରାଇବାକୁ ଚେଷ୍ଟା କରୁଥାଏ ସମ୍ବିତ I
ଯଦିଓ ଚେହେରା ଟା ମନେ ନାହିଁ ତଥାପି କେଜାଣି ମନରେ ଅସୁମାରୀ ପୁଲକ ଖେଳିଯାଏ ସେ ସ୍ମୃତି ର ଜାଗ୍ରତ ରେ I ଇଛା ହୁଏ ଆପଣାର ଡିଣ୍ଡିମ ପିଟୁଥିବା ଏ ସବୁ ସମ୍ପର୍କ ଗୁଡାକ ସତରେ ବାସ୍ତବ ହେଇଯାନ୍ତା କି ? ଆଉ ଅଭିନୟ କରିବାକୁ ପଡନ୍ତା ନାହିଁ I ଅନ୍ତତ ଏ ଛଳନା ଭିତରୁ ଟିକେ ଶାନ୍ତି ର ନିଶ୍ୱାସ ନେଇ ହୁଅନ୍ତା ,ସମ୍ପର୍କ ଆଉ ବାସ୍ତବତା ଭିତରେ ଯଦିଓ ଫରକ ଟା କେବଳ ଅନୁଭବି ର ଅନୁଭବ ଯାହା ବର୍ଣ୍ଣନା କରିବା ଅସମ୍ଭବ I କେବେ ପାଉଁଶ ତଳ ରୁ ଆଉ କେବେ ଦୂର ଦିଗ ବଳୟ ଭିତରେ ଏବେ ବି ସମ୍ବିତ ଖୋଜେ ତା ଠିକଣା , ମନେ ନାହିଁ କୋଉଠି ହଜେଇ ଦେଇଛି I ବେଳେବେଳେ ଇଛା ହୁଏ ସହର ରୁ ଧାଇଁ ଯାଆନ୍ତା ତା ମା ପାଖକୁ କିନ୍ତୁ ଠିକଣା ପାଏନି , ଧାଇଁ ଧାଇଁ ଝୁଣ୍ଟି ପଡେ ଜାଣିଶୁଣି କାଳେ ତା ବାବା ହାତ ଧରି ଉଠେଇ ଦେବେ ,କିନ୍ତୁ ରାସ୍ତା ଯେ ଅଗମ୍ୟ ବାପା ଙ୍କ ଠିକଣା ହଜେଇ ଦେଇଛି ,କେବେ କେବେ ଇଛା ହୁଏ ସମ୍ପର୍କ ର ସୁତା ଖିଅ କୁ ଅତି ପାଖରୁ ପରସ୍ତ ପରସ୍ତ କରି ନିଜକୁ ଭିଜେଇ ଦେବାକୁ କିନ୍ତୁ ଠିକଣା ମିଳେନି ସମ୍ପର୍କ ର , ସତେ ଯେମିତି ସେ ଅପରିଚିତ , ଏବେ ବି ନିଜ ପରିଚୟ ର ଠିକଣା ଖୋଜୁଛି , କୋଉଠି କେମିତି କେବେ କଣ ପାଇଁ ଏବଂ କାହିଁକି !!!