ମାଡି ଆସୁଛି ଲଘୁଚାପ,24 ଘଣ୍ଟାରେ ହେବ ଲଘୁଚାପ,ଜାଣନ୍ତୁ ସମ୍ପୂର୍ଣ୍ଣ ନ୍ୟୁଜ:-

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ହେଲେ ଏହା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କିମ୍ବା ବାତ୍ୟା ହେବାର କୌଣସି ସୂଚନା ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି।


ଲଘୁଚାପ ସୃଷ୍ଟି ହେଲେ ବାତ୍ୟାର ରୂପ ନେବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ ସୂଚନା ଦେଇଛନ୍ତି।


ଏ ସମ୍ପର୍କରେ ସଠିକ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗତ 10 ତାରିଖରେ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳ ଓ ଆଖପାଖ ଭାରତ ମହାସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। 13 ତାରିଖରୁ ତାହା କେନ୍ଦ୍ରୀୟ ବିଷୁବରେଖା ଆଖପାଖ ଭାରତ ମହାସାଗର ଅଞ୍ଚଳରେ ସକ୍ରିୟ ରହିଥିଲା। ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବ। କିନ୍ତୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ।


ପୂର୍ବ ଟ୍ରାକ୍‌ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ଅଧିକ ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ। ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି। ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇପାରେ।  ଆଗାମୀ 5 ଦିନ ଯାଏ ବି ଓଡ଼ିଶାରେ ବାତ୍ୟା କିମ୍ବା ବର୍ଷାର କୌଣସି ସୂଚନା ନ ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

 

Leave a Comment