ଚିଟଫଣ୍ଡକୁ ନେଇ ଆସିଲା ବଡ଼ ଖବର,ମିଳିବ ଠକାମି ଟଙ୍କା!

ଯାହା ହେଉ ଚିଟଫଣ୍ଡ ତଦନ୍ତ ଆରମ୍ଭ ହୋଇଛି; ଆଗକୁ ପୁଞ୍ଜି ମିଳିଯିବ ବୋଲି; ଏପରି ଆଶା ନେଇ ଲକ୍ଷାଧିକ ନିବେଶକାରୀଙ୍କ ମୁହଁରେ ହସ ଫୁଟିଥିବାବେଳେ ଏବେ ସେହି ଆଶା ନିରାଶଭାବ ସୃଷ୍ଟି କରିଛି।

ସରକାର ତଦନ୍ତକୁ ଅଧାରୁ ବନ୍ଦ କରିଥିବାବେଳେ ଏବେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, କମ୍ପ୍ୟୁଟର, ସତ୍ୟପାଠ କାଗଜପତ୍ର ଆଦି ଖତ ଖାଇବା ସହ ଊଇ ଖାଇଗଲାଣି। ତେଣେ କମିଶନ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦରମା ମିଳିନି। ପ୍ରାୟ ୫ମାସର ଦରମା ନଦେଇ ଚୁପଚାପ ବସିଯାଇଛନ୍ତି ସରକାର।

 

 

2020, ଫେବୃଆରୀ 4ରୁ ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ‌ଶେଷ ହୋଇ ସାରିଛି। କମିସନର ତଦନ୍ତ କାଳ ଆଉ ବୃଦ୍ଧି କରାଗଲାନହିଁ। ଚିଟଫଣ୍ଡ ତଦନ୍ତ ବନ୍ଦ ହେବା ଦୁଇ ବର୍ଷ ପୂରିଥିବାବେଳେ ଅଫିସରେ ଥିବା ସମସ୍ତ କାଗଜପତ୍ର ଆଦି ହସ୍ତାନ୍ତର ହୋଇ ପାରିନାହିଁ।

 

ତେବେ କାର୍ଯ୍ୟକାଳ ବୃଦ୍ଧି ନ ହେବାରୁ 2020, ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସୁ ନାହାନ୍ତି କି କର୍ମଚାରୀମାନେ ଆସୁନାହାନ୍ତି। ସେହିପରି ତଦନ୍ତ ପ୍ରକ୍ରିୟା ଚାଲିବ ନା ବନ୍ଦ ହେବ; ଏ ସମ୍ପର୍କରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ 2020, ଜୁନ୍ ମାସରେ ଚିଠି ଲେଖା ଯାଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ କିଛି ଜବାବ ମିଳି ପାରି ନଥିଲା। ଫଳରେ ତଦନ୍ତ କମିସନଙ୍କ କାର୍ଯ୍ୟାଳୟ 2020ରୁ ତାଲା ଝୁଳୁଛି। ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ 2013, ଜୁଲାଇ 9 ରେ ବିଚାର ବିଭାଗୀୟ ଜଣିକିଆ କମିସନ୍‌ ସରକାର ଗଠନ କରିଥିଲେ।

 

ପ୍ରଥମରୁ 5ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଙ୍ଗ ଯୋଡି ସରକାର 2015, ଫେବୃଆରୀ 20ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଙ୍ଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ 3 ମାସ ବା 6 ମାସକୁ ବୃଦ୍ଧି କରାଯାଇଥିଲା।

 

 

ଶେଷ ଥର 2019 ଅଗଷ୍ଟ 4ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ 2ରେ ସରକାର ବିଜ୍ଞପ୍ତି ପ୍ରକାଶ କରି 6 ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାପରେ 2015, ‌ଫେବୃଆରି 20ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର 2019, ଡିସେମ୍ବର 11ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ 2019, ଡିସେମ୍ବର 11ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ କରାଯାଇଥିଲା। ତେବେ କମିସନ୍‌ 4 ଲକ୍ଷ 97 ହଜାର 844 ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ 7ଟି ରିପୋର୍ଟ ପ୍ରଦାନ କରିଥିଲେ।

 

 

 

ଏ ପର୍ଯ୍ୟନ୍ତ ପ୍ରାୟ 21 ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଆହୁରି ଅନେକ ଜମାକରୀ ମଧ୍ୟ ଟଙ୍କା ଫେରସ୍ତ ପାଇଥାନ୍ତେ। କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଙ୍ଗରେ ପ୍ରାୟତ ଶେଷ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାଙ୍କର ଆଉ କାର୍ଯ୍ୟକାଳ ବଢି ନଥିଲା।

 

 

ଏହାପରେ ବୃହତ ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ ହୋଇଥାନ୍ତା। ଅନେକ କ୍ଷତିଗ୍ରସ୍ତ ଜମାକାରୀ 2013 ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ୍ 2018, ନଭେମ୍ବର 13ରେ ସାନି ବିଜ୍ଞପ୍ତି ପ୍ରକାଶ କରି 2019 ଜାନୁଆରି 31 ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ 7 ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ। ଚିଟଫଣ୍ଡ ତଦନ୍ତ ପାଇଁ ସରକାର 6 କୋଟି ଟଙ୍କାରୁ ଅଧିକ ଖର୍ଚ କରି କି ଲାଭ ପାଇଲେ; ତାହା କିଛି ବୁଝା ପଡୁନାହିଁ। କିନ୍ତୁ ଜମାକାରୀଙ୍କ ଅର୍ଥ ଫେରସ୍ତ ଉପରେ ସରକାର କିଛି ସ୍ପଷ୍ଟ କରୁନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

 

 

Leave a Comment