କେଜ୍ରିୱାଲଙ୍କୁ ଗୁଳି କଲେ ମନୋଜ ତିୱାରୀ,ଅନୁଭବଙ୍କ କାନ୍ଧରେ ରଖିଲେ ବନ୍ଧୁକ:-

ନଜର ଆସିଲେ ଅଭିନେତାରୁ ରାଜନେତା ପାଲଟିଥିବା ଦୁଇ ଜଣ ସୁପରଷ୍ଟାର। ଉଭୟେ ଅଲଗା ଅଲଗା ଦଳରୁ ସଂସଦକୁ ଯାଇଛନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କ କେବଳ ଶାସକ-ବିରୋଧିରେ ସୀମିତ ରହିନାହିଁ। ଭୋଜପୁରୀ ସୁପରଷ୍ଟାର ମନୋଜ ତିୱାରୀ ଓ ଓଡିଆ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦର୍ଶା ଯାଇଛିଯେ ମନୋଜ ତିୱାରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିଛନ୍ତି।

 

କୁହାଯାଏଯେ ନେତାମାନେ ‘ବାହାରେ ବିରୋଧି, ଭିତରେ ସାଥି’। ଏହି ଉକ୍ତିକୁ ବିଜେପି ସାଂସଦ ମନୋଜ ତିୱାରୀ ଭୁଲ ବୋଲି ପ୍ରମାଣିତ କରିଛନ୍ତି। କେବଳ ସଂସଦ ଗୃହରେ ନୁହଁ, ବାହାରେ ମଧ୍ୟ ବିଜେପି ଓ ବିଜେଡି ନେତାଙ୍କ ସଂମ୍ପର୍କ ନିବିଡ ବୋଲି ତାଙ୍କର ଭାଇରାଲ ଭିଡିଓ ଦର୍ଶାଇ ଦେଉଛି। ସୋମବାର ମନୋଜ ତିୱାରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରାୟ ଦେଢ ମିନିଟର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦିଲ୍ଲୀ ସାଂସଦ ଦାବି କରିଛନ୍ତି ଯେ ଅନୁଭବ ମହାନ୍ତି ହେଉଛନ୍ତି ସର୍ବ କନିଷ୍ଠ ରାଜ୍ୟସଭା ସାଂସଦ। ମାତ୍ର 32 ବର୍ଷ ବୟସରେ ସେ ସଂସଦକୁ ଆସିଥିବା ମନୋଜ ତିୱାରୀ କହିଛନ୍ତି।

ସାଥୀ ସାଂସଦଙ୍କ କଥାକୁ ଅନୁଭବ ମହାନ୍ତି ସ୍ୱିକାର କରିବା ସହ ସେ 32 ବର୍ଷ ବୟସରେ ରାଜ୍ୟସଭା ସଦସ୍ୟ ହୋଇଥିବା କହିଛନ୍ତି। ସେହି ସମୟରେ ଗୃହରେ ତାଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ। 40 ବର୍ଷିୟ ଅଭିନେତା 2013 ଏପ୍ରିଲରେ ବିଜେଡିରେ ସାମିଲ ହୋଇଥିଲେ ଏବଂ 2014 ରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। 2019 ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲୋକସଭା ସାଂସଦ ହୋଇଛନ୍ତି। ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଅନୁଭବ ସଂସଦକୁ ଯାଇଛନ୍ତି। କିନ୍ତୁ ତାଙ୍କର ପାରିବାରିକ ବିବାଦ ପରେ ଅନୁଭବଙ୍କୁ ବିଜେଡିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ।

କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିର ଦାବିକୁ ମିଥ୍ୟା ପ୍ରମାଣିତ କରିବାକୁ ମନୋଜ ତିୱାରୀ, ବିଜେଡି ସାଂସଦଙ୍କ ଉଦାହରଣ ଦେଇଛନ୍ତି। ପଞ୍ଜାବରେ ବିପୁଳ ବିଜୟ ପରେ ଆପ୍, ରାଜ୍ୟସଭାକୁ ୫ ଜଣଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହି ତାଲିକାରେ ଆପ୍ ବିଧାୟକ ରାଘବ ଚଢାଙ୍କ ନାମ ମଧ୍ୟ ରହିଛି। ସେ ଆସନ୍ତା ଏପ୍ରିଲ 9 ତାରିଖରେ ଶପଥ ନେଇ ପାରନ୍ତି। ତେବେ 33 ବର୍ଷିୟ ରାଘବ ଚଢାଙ୍କୁ ସର୍ବକନିଷ୍ଠ ରାଜ୍ୟସଭା ସଦସ୍ୟ ବୋଲି ଦାବି କରାଯାଉଛି। ଆଉ ଏହା ଉପରେ ପ୍ରତିକ୍ରିୟା ଦେଇ ମନୋଜ ତିୱାରୀ, କେଜ୍ରିୱାଲଙ୍କୁ ମିଛୁଆ ବୋଲି କହିବା ସହ ଅନୁଭବଙ୍କୁ ସର୍ବକନିଷ୍ଠ ସାସଂଦ ବୋଲି କହିଛନ୍ତି।

 

 

Leave a Comment