ଭୁବନେଶ୍ୱରେ ଯେଉଁ ୱାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଭୋଟ୍ ଦେଇଥିଲେ, ସେଇଠି ମାଟି କାମୁଡ଼ିଲା ବିଜେଡି। ସେଠାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି କିନ୍ତୁ ବିଜେଡିର ଚିହ୍ନବର୍ଣ୍ଣ ନାହିଁ। ବିଜେଡି ଓ ବିଜେପିକୁ ଚକ୍ମା ଦେଇ ବିଜୟ ଲାଭ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପୁଷ୍ପା ରାଉତ। ବିଜୟୀ ହେବା ପରେ ପୁଷ୍ପା କହିଛନ୍ତି, ପୁଷ୍ପା କଭି ଝୁକେଗି ନେହିଁ। ଭୁବନେଶ୍ୱର ମହାନଗର ନିଗମର 46 ନମ୍ବର ୱାର୍ଡରେ ବିଜେଡିରୁ ପୁଷ୍ପା ରାଉତ ପ୍ରାର୍ଥୀ ହେବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ସୁଯୋଗ ମିଳିନଥିଲା। ବିଜେଡି ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ପୁଷ୍ପା ମୈଦାନକୁ ଡିଆଁ ମାରିଥିଲେ। ଆଉ ନିଜ ସପକ୍ଷରେ ଭୋଟ୍ ନେବା ପାଇଁ ଘରକୁ ଘର ବୁଲି ପ୍ରଚାର ମଧ୍ୟ କରିଥିଲେ। ଯାହାଫଳରେ ଆଜି ସେ ବିଜୟୀ ହୋଇ ପାରିଛନ୍ତି। ଏଥିପାଇଁ ୱାର୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁଷ୍ପା। ଆଉ ସାଉଥ୍ ଫିଲ୍ମ ଷ୍ଟାଇଲ୍ରେ କହିଛନ୍ତି, ପୁଷ୍ପା କଭି ଝୁକେଗା ନେହିଁ।
ପୁଷ୍ପା ଆହୁରି କହିଛନ୍ତି, ଲୋକମାନଙ୍କ ଭଲ ପାଇବା ଯୋଗୁ ମୁଁ ଆଜି ଏହି ସ୍ଥାନକୁ ଆସିପାରିଛି। ମୋ ସ୍ୱାମୀ ସମସ୍ତଙ୍କୁ ବହୁ ସାହାଯ୍ୟ ଓ ସଯୋଗ କରିଛନ୍ତି। ଯେଉଁଥିପାଇଁ ଲୋକମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି। ଆଗାମୀ ଦିନରେ ମୋ ୱାର୍ଡର ଲୋକଙ୍କ ପାଇଁ କାମ କରିବି ବୋଲି ପୁଷ୍ପା କହିଛନ୍ତି। ଯେଉଁଠି ବିଜେଡି ପାର୍ଟି ଅଫିସ୍ର ମୁଖ୍ୟକାର୍ଯ୍ୟାଳୟ, ପାଣ୍ଡିଆନ୍ ସାର ଓ ବବି ଭାଇଙ୍କ ଭଳି ଟାଣୁଆ ନେତା ରହୁଛନ୍ତି, ସେଠି କେମିତି ଜିତିଲେ ବୋଲି ପ୍ରଶ୍ନରେ ପୁଷ୍ପା ହସି ହସି କହିଥିଲେ କେଉଁଠି ନା କେଉଁଠି ସେମାନଙ୍କ ଭଲ ପାଇବା ଆମ ଉପରେ ମଧ୍ୟ ରହିଛି। ସେଥିପାଇଁ ମୁଁ ଆଜି ଜିତି ପାରିଛି ବୋଲି ପୁଷ୍ପା କହିଛନ୍ତି। କୁହାଯାଏ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ ପାଣ୍ଡିଆନଙ୍କର ବିଜେଡିର ଦଳୀୟ ବ୍ୟାପାରରେ ଦବ୍ଦବା ରହିଛି। ତେବେ ଯେଉଁ ୱାର୍ଡରେ ସେ ନିଜେ ଭୋଟର ସେଠାରେ କେମିତି ବିଜେଡି ପ୍ରାର୍ଥୀ ବାଛିବାରେ ଭୁଲ୍ କରିଦେଲା ସେ ନେଇ ପ୍ରଶ୍ନ ଉଠିଛି।