ବସ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଛାତ୍ରୀଙ୍କ ଜୀବନ , ପରିବାର ଲୋକେ ଦାନ କଲେ ଚକ୍ଷୁ:-

ମୃତ୍ୟୁ କେତେବେଳେ କେମିତି ଆସିବ ତାହା କାହାକୁ ଜଣା ନଥାଏ। ବ୍ରହ୍ମପୁର ସହରରେ ଜଣେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁକୁ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ମୃତା ଛାତ୍ରୀଙ୍କ ନାମ ପି. ଶାଲିନୀ ପାତ୍ର, ଘର ସାର୍ଗୁଣା ସାହିରେ। ସେ ଇମ୍ପେରିଆଲ୍‌ କ‌ଲେଜରେ ବିସିଏ ପଢ଼ୁଥିଲେ। ଶନିବାର ଦିନ ପ୍ରାୟ 11 ଟା ବେଳେ ଶାଲିନୀ ସ୍କୁଟିରେ କଲେଜରୁ ଘରକୁ ଫେରୁଥିଲେ। ରେଡ୍ଡି ଗ୍ୟାରେଜ୍‌ ଛକ ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ବିଏମ୍‌ସିର ଏକ ଅଳିଆ ବୁହା ଗାଡ଼ିର ଚାଳକ ହଠାତ୍ ଡୋର୍‌ ଖୋଲିଦେଇଥିଲା। ଏହି ଡୋର୍‌ଟି ଶାଲିନୀଙ୍କ ସ୍କୁଟିରେ ବାଜିବାରୁ ସେ ନିୟନ୍ତ୍ରଣ ହରାଇ ବିପରୀତ ପାର୍ଶ୍ବରେ ରାସ୍ତା ଉପରେ ପଡ଼ିଯାଇଥିଲେ। ସେତେବେଳେ ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସର ଚକା ତାଙ୍କ ଉପରେ ଚଢ଼ିଯାଇଥିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା।


ପଛରେ ବାଇକ୍‌ରେ ଆସୁଥିବା ଶାଲିନୀଙ୍କ ତିନି ସାଙ୍ଗ ପରେଶ ବେହେରା, ଫିରୋଜ କୁମାର ସାହୁ ଓ ‌ସୌମ୍ୟରଂଜନ ପଣ୍ଡା ମଧ୍ୟ ସେହି ଆବର୍ଜନା ଗାଡ଼ିର ଡୋର୍‌ରେ ବାଜି ତଳେ ପଡ଼ିଯାଇଥିଲେ। ସେମାନେ ସାମାନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିଲା। କିନ୍ତୁ ଶାଲିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଶାଲିନୀଙ୍କ ବାପା ପି. ତିରୁପତି ପାତ୍ର ଓ ପରିବାରବର୍ଗ ଡାକ୍ତରଖାନାରେ ପହଁଚିଥିଲେ। ଝିଅର ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଡାକ୍ତରଙ୍କୁ କହିଥିଲେ। ଚକ୍ଷୁବିଭାଗ ଡାକ୍ତର ଆସି ଶାଲୀନିଙ୍କ ଚକ୍ଷୁ ସଂଗ୍ରହ କରିଥିଲେ। ଏହି ଦୁର୍ଘଟଣାରେ ଟ୍ରାଫିକ୍ ପୁଲିସ ତିନି ଗାଡ଼ିକୁ ଜବତ କରିଥିବା ବେଳେ ଦୁର୍ଘଟଣା ପରେ ଆବର୍ଜନା ଗାଡ଼ି ଏବଂ ବସ୍‌ ଡ୍ରାଇଭର୍ ଫେରାର୍ ହୋଇଯାଇଛନ୍ତି ବୋଲି ଜଣା ପଡ଼ିଛି।

Leave a Comment